ସଠିକ୍ ନ୍ୟୁଜ୍ ବ୍ୟୁରୋ (୧୨ ଜୁନ୍): ଗୁରୁବାର ଅପରାହ୍ନରେ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିବା ପରେ ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଥିଲେ ସେ ତାଙ୍କ ପତ୍ନୀ ଓ ପୁଅକୁ ଭେଟିବାକୁ ଯାଉଥିଲେ ଲଣ୍ଡନ । ବିମାନ ଦୁର୍ଘଟଣା ବାବଦରେ ସୂଚନା ପାଇବା ପରେ ବିଜୟ ରୂପାଣୀଙ୍କ ପାଖ ପଡ଼ିଶାରେ ଏକ ଅସହଜ ନିରବତା ଖେଳି ଯାଇଥିଲା । ପଡ଼ୋଶୀମାନେ ତାଙ୍କ ଘର ପାଖରେ ଥିବା ଏକ ମନ୍ଦିରରେ ପୂଜାର୍ଚ୍ଚନା କରିବା ଆରମ୍ଭ କରିଦେଇଥିଲେ । ବର୍ତ୍ତମାନ ସୁଦ୍ଧା ରୂପାଣୀଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହି ।
ଲଣ୍ଡନ ଗାଟୱିକ୍ ପାଇଁ AI171 ଫ୍ଲାଇଟ୍ ଭାବରେ କାର୍ଯ୍ୟ କରୁଥିବା ଏୟାର ଇଣ୍ଡିଆ ବୋଇଂ 787 ଡ୍ରିମଲାଇନର ଉଡ଼ାଣ ଆରମ୍ଭ ହେବାର କିଛି ମିନିଟ୍ ପରେ ମେଘାନି ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହା ଫଳରେ ଏକ ବିରାଟ କଳା ଧୂଆଁ ବାହାରିଥିଲା ଏବଂ ବଡ଼ ଧରଣର ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଦୀର୍ଘ ଯାତ୍ରା ପାଇଁ ପ୍ରଚୁର ପରିମାଣରେ ଇନ୍ଧନ ବ୍ୟବହାର କରାଯାଉଥିବା ବିମାନଟି ଧକ୍କା ହେବା ମାତ୍ରେ ନିଆଁ ଲାଗିଯାଇଥିଲା, ଯାହା ଉଦ୍ଧାର କାର୍ଯ୍ୟକୁ ଜଟିଳ କରିଥିଲା । ବିମାନରେ କ୍ର୍ୟୁ ମେମ୍ବରଙ୍କ ସହ ୨୪୨ ଜଣ ଯାତ୍ରୀ ରହିଥିଲେ । ୧୬୯ ଭାରତୀୟ, ୫୩ ବ୍ରିଟିଶ, ୭ ପର୍ତ୍ତୃଗାଲ ଓ ଜଣେ କାନାଡା ନାଗରିକଙ୍କୁ ନେଇ ଉଡ଼ାଣ ଭରିଥିଲା ବିମାନ ।