ସଠିକ୍ ବ୍ୟୁରୋ : ସମାଜସେବା ନାଁ ରେ କଳଙ୍କ ବୋଳିଛନ୍ତି ଶୁଭଲକ୍ଷ୍ମୀ, ଚାକିରି ଆଶାରେ ଥିବା ଯୁବକ ଯୁବତୀଙ୍କ ଠାରୁ ଜଣଜଣ କରି ନେଇଛନ୍ତି ୧୨ରୁ ୧୫ ଲକ୍ଷ ଟଙ୍କା । ଅସଲ ଉଦ୍ଦେଶ୍ୟ ଥିଲା ଠକେଇ। ସ୍ବାମୀ-ସ୍ତ୍ରୀ ମିଶି ଭୁବନେଶ୍ୱରରେ ଖୋଲିଥିଲେ ସମାଜ ମଙ୍ଗଳ ସଂସ୍ଥା। ରେଳବାଇରେ ଚାକିରି ଦେବା ନାଁରେ କୋଟି କୋଟି ଟଙ୍କା ଠକି ନେଇଛନ୍ତି । ରାକେଟର ମାଷ୍ଟରମାଇଣ୍ଡ ଦମ୍ପତିଙ୍କ କାରନାମା ସାମ୍ନାକୁ ଆସିବା ପରେ ମହିଳାଙ୍କୁ ବାନ୍ଧିଛି ପୋଲିସ। ସତରେ ଏମାନେ ଏମିତି ଲଗାଉଥିଲେ ଚୂନ ଖାଲି ଏତିକି ନୁହେଁ ରେଲୱେରେ ସ୍କାଉଟ ଏଣ୍ଡ ଗାଇଡ୍ କୋଟାରେ ଚାକିରି କରାଇ ଦେବା ନାଁରେ ୩୦ରୁ ଉର୍ଦ୍ଧ୍ୱ ଯୁବକଯୁବତୀଙ୍କ ଠାରୁ ୫ କୋଟିରୁ ଅଧିକ ଟଙ୍କା ଠକେଇ ଘଟଣାରେ ଭୁବନେଶ୍ୱର ଜନମାନ୍ୟତା ଟ୍ରଷ୍ଟର ସଭାନେତ୍ରୀ ଶୁଭଲକ୍ଷ୍ମୀ ରାଉତଙ୍କୁ ଗିରଫ କରିଛି ସଦର ଥାନା ପୋଲିସ । ଠକେଇ ରାକେଟର ଅନ୍ୟ ଜଣେ ମାଷ୍ଟରମାଇଣ୍ଡ ତଥା ଶୁଭଲକ୍ଷ୍ମୀଙ୍କ ସ୍ବାମୀ ସମରଜିତ ରାଉତ ଫେରାର ଅଛନ୍ତି । ତାଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଚଳାଇଛି ।
ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳର ୨୮ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀଙ୍କ ଠାରୁ ନେଇଛନ୍ତି ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କା । ଆଉ ସେହି ଟଙ୍କାରେ କରିଛନ୍ତି ୪ଟି ଲେଖାଏଁ କମ୍ପାନୀ ଏବଂ ଠକେଇ ଟଙ୍କା ଖର୍ଚ୍ଚ କରି ଦେଶ ବିଦେଶ ବୁଲି ଅଏସ୍ କରିଛନ୍ତି । ଠକ ସମରଜିତ ନିଜକୁ ବସନ୍ତ ସିଂ ଭାବେ ଏବଂ ଶୁଭଲକ୍ଷ୍ମୀ ଦିଲ୍ଲୀ ଅଫିସର ଭାବେ ପରିଚୟ ଦେଇ ରେଳବାଇର କିଛି କାଗଜପତ୍ର ଦେଖାଇ ବିଶ୍ୱାସ ଜନ୍ମାଉ ଥିଲେ । ଠକେଇର ଶିକାର ଯୁବକଯୁବତୀ ଅଭିଯୋଗ କରିବା ପରେ ପୋଲିସ ଦଲାଲ ବିଘ୍ନେଶ୍ୱର ସମେତ ଭୁବନେଶ୍ୱରରୁ ଶୁଭଲକ୍ଷ୍ମୀଙ୍କୁ ଗିରଫ କରିଛି । ପୋଲିସ ପୁରା ଘଟଣାର ତଦନ୍ତ ଚଳାଇଛି ।