ମହାପ୍ରଭୁଙ୍କ ରଥ ନିର୍ମାଣର ଗୁରୁତ୍ୱପୂର୍ଣ୍ଣ ସୋପାନରେ, ତିନି ରଥର ସମସ୍ତ ଚକ ସହିତ ଅଖ ସଂଯୋଗ ହୋଇଛି l ସମ୍ପନ୍ନ ହୋଇଛି ସମସ୍ତ ୪୨ ଟି ଯାକ ଚକ ଓ ୨୧ ଅଖ ଡେରା କାର୍ଯ୍ୟ । ତାଳଧ୍ଵଜ ରଥର ୧୪ ଟି ଚକ ସହ ୭ ଅଖ,ଦେବଦଳନ ରଥର ୧୨ ଚକ ସହ ୬ ଅଖ,ଏବଂ ନନ୍ଦିଘୋଷ ରଥର ୧୬ ଚକ ସହ ୮ ଟି ଅଖର ସଂଯୋଗ କାର୍ଯ୍ୟ ଶେଷ ହୋଇଛି । ଏହାପରେ ଅଖରେ ମେଣ୍ଡି ଲାଗିବ । ଚକରେ ବନ୍ଧ ଲାଗିବ । ପାଞ୍ଚ ଦଣ୍ଡା ଉଠିବା ପରେ ଭୋଇ ସେବକ ଦେବେ ଦ୍ଵିତୀୟ ହରିବୋଲ । ସେପଟେ ତିନି ରଥର ଧ୍ୱଜାବତା ନିର୍ମାଣ, ତିନି ରଥର ବେଦ୍ଦୀ ସିଂହାସନ ଜଗତପୃଷ୍ଠ ଶ୍ରେଣୀର ଚଉପଟ କାର୍ଯ୍ୟ ଓ ପ୍ରତି ରଥର ଦୁଇ ଦୁଇଟି ଲେଖାଏଁ ପୋଲ ଗୟଳ କାର୍ଯ୍ୟ ଶେଷ ହୋଇଛି ।
ପାଖେଇ ଆସୁଛି ରଥଯାତ୍ରା । ହାତରେ ମାସକରୁ କମ୍ ସମୟ । ସମୟ ଭିତରେ ପ୍ରସ୍ତୁତି ସାରିବା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ । ଗତ ବର୍ଷ ପହଣ୍ଡି ଅଘଟଣ ପରେ ଏଥର ପହଣ୍ଡି ଶୃଙ୍ଖଳାକୁ ସ୍ବତନ୍ତ୍ର ଫୋକସ୍ ଦେଇ ଚାଲିଛି ସମସ୍ତ ପ୍ରସ୍ତୁତି । ଚଳିତ ରଥଯାତ୍ରା ବ୍ୟବସ୍ଥାବଳୀ ଅନୁଯାୟୀ ଏଥର ନିର୍ଦ୍ଦିଷ୍ଟ ସେବକଙ୍କୁ ନେଇ ହେବ ପହଣ୍ଡି । କେଉଁ ନିଯୋଗରୁ କେତେ ସେବକ ରହିବେ ସେନେଇ ସଂଖ୍ୟା ଧାର୍ଯ୍ୟ ହେବ । ହେଲେ ପ୍ରକୃତରେ ଏହାର କାର୍ଯ୍ୟାନ୍ଵୟନ କିପରି ହେବ ସେନେଇ ଖସଡ଼ା ପ୍ରସ୍ତୁତ କରୁଛି ପ୍ରଶାସନ ।