ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ଉପରେ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ ପୁଣେର ଜଣେ ଆଇନ ଛାତ୍ରୀ ଗିରଫ। ଶୁକ୍ରବାର ରାତିରେ ଶର୍ମିଷ୍ଠା ପାନୋଲି ନାମକ ଜଣେ ଆଇନ ଛାତ୍ରୀଙ୍କୁ ଗୁରୁଗ୍ରାମରୁ ଗିରଫ କରିଛି କୋଲକାତା ପୋଲିସ। ସେ ଅପରେସନ ସିନ୍ଦୁର ଉପରେ ଏକ ପୋଷ୍ଟ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାର ଅଭିଯୋଗ ହୋଇଥିଲା। ବିବାଦ ସୃଷ୍ଟି ହେବା ପରେ ଭିଡିଓକୁ ପରେ ଡିଲିଟ କରିଦେଇଥିଲେ।
ପୋଲିସ ସୂତ୍ର ଅନୁଯାୟୀ, ପାନୋଲି ଏହାକୁ ଇନଷ୍ଟାଗ୍ରାମରେ ଅପଲୋଡ କରିଥିଲେ ଯେଉଁଥିରେ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ଟାର୍ଗେଟ କରି “ଅପମାନଜନକ ମନ୍ତବ୍ୟ” ଥିଲା। ଏହି ଭିଡିଓ କ୍ଲିପ୍ ଭାଇରାଲ ହୋଇଥିଲା। କୋଲକାତାର ଏକ ପୋଲିସ ଷ୍ଟେସନରେ ପୋଲିସ ଅଭିଯୋଗ ହୋଇଥିଲା। ଏହା ପରେ ପୋଲିସ ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଥିଲା।
ତଥାପି, ବିବାଦ ପରେ, ପାନୋଲି ସୋସିଆଲ ମିଡିଆରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ। ତାଙ୍କର ଭିଡିଓ ଏବଂ ପୋଷ୍ଟଗୁଡ଼ିକୁ ଡିଲିଟ୍ କରିଦେଇଥିଲେ।
ସେ Xରେ ଲେଖିଛନ୍ତି, “ମୁଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରୁଛି। ଯାହା ବି କହିଥିଲି ତାହା ମୋର ବ୍ୟକ୍ତିଗତ ଭାବନା ଏବଂ ମୁଁ କେବେ ଜାଣିଶୁଣି କାହାକୁ ଆଘାତ ଦେବାକୁ ଚାହୁଁନାହିଁ, ତେଣୁ ଯଦି କାହାକୁ ଆଘାତ ଲାଗିଛି ତେବେ ମୁଁ ଏଥିପାଇଁ ଦୁଃଖିତ। ମୁଁ ସହଯୋଗ ଏବଂ ବୁଝାମଣା ଆଶା କରୁଛି। ଏବେଠାରୁ, ମୁଁ ମୋର ସାର୍ବଜନୀନ ପୋଷ୍ଟରେ ସତର୍କ ରହିବି। ଦୟାକରି ମୋର କ୍ଷମା ପ୍ରାର୍ଥନା ଗ୍ରହଣ କରନ୍ତୁ।”
ପୋଲିସ କହିଛି ଯେ ପାନୋଲି ଏବଂ ତାଙ୍କ ପରିବାର ସହ ଯୋଗାଯୋଗ ହୋଇପାରିନଥିଲା। ତାଙ୍କୁ ହାଜର ହେବାକୁ ନୋଟିସ୍ ଦିଆଯାଇଥିଲେ ବି ସେ ହାଜର ହୋଇନଥିଲେ। ଏହା ପରେ କୋର୍ଟ ଗିରଫ ପରୱାନା ଜାରି କରିଥିଲେ। ଏହି ଆଧାରରେ ତାଙ୍କୁ ଗୁରୁଗ୍ରାମରୁ ଗିରଫ କରାଯାଇଥିଲା ।